| ଘଷିପୁରା ବ୍ଲକ ସାମୁକାନେଣ୍ଡି ଗ୍ରାମ ପଞ୍ଚାୟତର ୪୦୦ ପରିବାର ବିଦ୍ୟୁତ ସେବାରୁ ବଞ୍ଚିତ |
ଶରତ/ଆନନ୍ଦପୁର- ୨୫/୧୨/୨୦୨୫ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ସାମୁକାନେଣ୍ଡି ଗ୍ରାମ ପଞ୍ଚାୟତର ପ୍ରାୟ ୪୦୦ ପରିବାର ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ହୋଇ ଅଛନ୍ତି। ଗ୍ରାମରେ ବିଦ୍ୟୁତ ସଂଯୋଗ ହୋଇ ପାରି ନ ଥିବାରୁ ପାନୀୟ ଜଳ, ପିଲାଙ୍କ ପାଠ ପଢା, ରାତ୍ରି ସମୟରେ ବନ୍ୟଜନ୍ତୁଙ୍କ ଆକ୍ରମଣ ଭୟ ଆଦି ନାନାଦି ସମସ୍ୟା ନେଇ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଯୁଝୁଛନ୍ତି। ପ୍ରକାଶ ଥାଉ କି , ସାମୁକାନେଣ୍ଡି ଗ୍ରାମ ପଞ୍ଚାୟତର - ନଟିଆ,ଝାଟିଆ,ବରଗୋଠ, ବାଇବୁରୁ, ବାଦୁଡ଼ିବସା, ଆମ୍ବଡାହି, ହାଡ଼ିବସା, କଣ୍ଡିତଳୀ,ଭାର୍ଶାଡାହି, ପଠାନଡାହି, ତଳକୁମ୍ପାଦା,ମଧୁବନ, କାଳିଆପାଣି ଏବଂ ଚିଲିକାଭାହାଳି ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ଯୋଗାଇ ଦିଆ ଯାଇ ପାରି ନାହିଁ। ସୂଚନା ଥାଉ କି - ଆଜିକୁ ଆଠ ବର୍ଷ ପୂର୍ବେ ଘଷିପୁରା ବ୍ଲକର ସମସ୍ତ ପଞ୍ଚାୟତର ପରିବାର ଗୁଡ଼ିକ ବିଦ୍ୟୁତ ସେବା ଯୋଗାଇ ଦିଆ ଯାଇ ଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଆଦିବାସୀ ବହୁଳ ପଞ୍ଚାୟତକୁ ଏଥିରୁ ବାଦ ଦିଆ ଯାଇଛି। ୨୦୧୯ ମସିହାରେ ଏହି ପରିବାରଙ୍କୁ ପ୍ରଶାସନ ପକ୍ଷରୁ ସୋଲାର ଲାଇଟ ଦିଆ ଯାଇଥିଲା କିନ୍ତୁ ବର୍ତମାନ ସେହି ସବୁ ଭାଙ୍ଗିରୁଜି ଯାଇଥିବା ବେଳେ ବ୍ୟାଟେରୀ ଗୁଡ଼ିକ ନଷ୍ଟ ହେବାକୁ ବସିଲାଣି । ଏହି ଗ୍ରାମ ବାସୀମାନଙ୍କୁ କେନ୍ଦ୍ର ସରକାରଙ୍କ “ସୌଭାଗ୍ୟ" ଯୋଜନାରେ ବିଦ୍ୟୁତକରଣ କରାଯିବା ଦାବି ହେଉଛି। ତତସହିତ ଗ୍ରାମରେ ଗମନଗମନ ନିମନ୍ତେ ରାସ୍ତା ଘାଟ ମୁଖ୍ୟ ସମସ୍ୟା ରୂପେ ଠିଆ ହୋଇଛି । ଗ୍ରାମରେ ବିଦ୍ୟୁତ ସଂଯୋଗ ସେବା ଯୋଗାଇ ଦେବା ଦାବିରେ ଗ୍ରାମବାସୀମାନେ ଅନେକବାର କେନ୍ଦୁଝର ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ ଉପସ୍ଥାପନା କରିଥିଲେ ସୁଦ୍ଧା ସେଥିରେ ସେମାନେ ସୁଫଳ ପାଇ ପାରି ନ ଥିବା କହିଛନ୍ତି। ଗ୍ରାମରେ ବିଦ୍ୟୁତ ସେବା ଯୋଗାଇ ଦେବା ଦାବିରେ ଆସନ୍ତା ବର୍ଷ ଜାନୁଆରୀ ୭ ତାରିଖ ଦିନ ଗ୍ରାମବାସୀମାନଙ୍କ ଦ୍ଵାରା କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯିବା ସକାଶେ ଆଜି ୧୩ ଗୋଟି ଗ୍ରାମର ବାସିନ୍ଦା ଏକାଠି ହୋଇ ବୈଠକ ଆୟୋଜନ କରିଛନ୍ତି। ଏହି ପଞ୍ଚାୟତ ଅଧୀନ ନଟିଆ ଗ୍ରାମ(୧୨ ନମ୍ବର ୱାର୍ଡ ମେମ୍ବର) କିଶାନ ପିଙ୍ଗୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଉଚ୍ଚ ଶିକ୍ଷିତ ଯୁବକ ପିଣ୍ଟୁ ହେମ୍ବ୍ରମ, ସୁଭାଷ ପିଙ୍ଗୁଆ, ମହେଶ୍ଵର ପିଙ୍ଗୁଆ, ସାମାଜିକ କର୍ମୀ ଗାମାଏ ରୀମିଲ ଗୋଇପାଈ, ରାଜେଶ ତିରିଆ, ଡବର ଚାତାର, ସୁମୀ ସୟ, ମାଳତୀ ଦୋରାଇ, ବାଟି ଶିର୍କା, ନିରୁପମା ବିରୁଆ ପ୍ରମୁଖ ଉପସ୍ଥିତ ଥିଲେ।
